Unknown

 

 

 

 

 

 

 

 

 

ବାଇଆ ମନ

ଶ୍ରୀ ବୈଷ୍ଣବ ଚରଣ ଦାସ

 

କ ଠାରୁ କ୍ଷ ପର୍ଯ୍ୟନ୍ତ ମନବୋଧ ଉପଦେଶ ।

(ନବାନୁରାଗ ଚଉତିଶା ବୃତ୍ତେ)

 

(କ)

କହୁଛି ଏତିକି ତୋତେ,

କର ସେବା ଗୁରୁ ଚରଣ ଗତେ, ରେ ବାଇଆ ମନ !

କାଳ ନ ଗ୍ରାସୁ ଯେମନ୍ତେ, ରେ ବାଇଆ ମନ (୧)

 

(ଖ)

ଖଳ ବୁଦ୍ଧିରେ ନ ପଡ଼,

ଖେଦ ନଦୀନୀରେ କେଭେଁ ନ ବୁଡ଼, ରେ ବାଇଆ ମନ !

ଖରେ ସାଧୁସଙ୍ଗ ଲୋଡ଼, ରେ ବାଇଆ ମନ । (୨)

 

(ଗ)

ଗଉର ଗୁଣକୁ ଗାଇ,

ଗଣ୍ଠିଧନ କର ରାଧା ମାଧୋଇ, ରେ ବାଇଆ ମନ !

ଗଡ଼ ବୃନ୍ଦାବନେ ଯାଇଁ, ରେ ବାଇଆ ମନ । (୩)

 

(ଘ)

ଘଟଣ ଯୁଗଳ ରୂପ,

ଘଟ ପରାଣକୁ ତହିଁ ସମର୍ପ, ରେ ବାଇଆ ମନ !

ଘୁଞ୍ଚିଯିବ *ତିନିତାପ, ରେ ବାଇଆ ମନ । (୪)

(ଙ)

ଉଚ୍ଚେ ବୋଲ ହରି ହରି,

ଉପାସନା-ବିଧି ଆଶ୍ରୟ କରି, ରେ ବାଇଆ ମନ !

ଉଦାର ଭାବ ଆଚରି, ରେ ବାଇଆ ମନ । (୫)

(ଚ)

ଚଇତନ୍ୟ ଗୁରୁ ତୋର,

ଚଞ୍ଚଳ ସ୍ୱଭାବ କରିବେ ଦୂର ରେ ବାଇଆ ମନ !

ଚକ୍ଷୁ ଫେଇ ଲୟ କର, ରେ ବାଇଆ ମନ । (୬)

(ଛ)

ଛଦ୍ମ, ଛଳ ପରିହର,

ଛନ୍ଦା ପଦ୍ମପାଦେ ହୁଅ ଭ୍ରମର ରେ ବାଇଆ ମନ !

ଛନକା ଯିବ ତୋହର ରେ ବାଇଆ ମନ । (୭)

(ଜ)

ଜୟ ରାଧେ ଶ୍ୟାମ ବୋଲି,

ଜଞ୍ଜାଳ ମାୟାରୁ ହୁଅ ତୁ ଖାଲି, ରେ ବାଇଆ ମନ !

ଜପ ମହାମନ୍ତ୍ର ଝୁଲି, ରେ ବାଇଆ ମନ । (୮)

(ଝ)

ଝଗଡ଼ା ପଥ ଉପେଖ,

ଝଳି ମାର୍ଗରେ ତୁ ହୁଅ ପଥିକ, ରେ ବାଇଆ ମନ !

ଝରାଇ ପ୍ରେମ ଲୋତକ, ରେ ବାଇଆ ମନ । (୯)

(ଞ)

ନିତ୍ୟାନନ୍ଦ ନିତ୍ୟ ଧାମ,

ନିଶି-ଦିବସରେ କର ତୁ ଧ୍ୟାନ, ରେ ବାଇଆ ମନ !

ନିଶ୍ଚେଁ ଲଭିବୁ ସୁଜ୍ଞାନ, ରେ ବାଇଆ ମନ । (୧୦)

(ଟ)

ଟପି ଯା ଭକ୍ତି-ଦୁଆର,

ଟେକ, କୁଳ, ଅଭିମାନ ତୋ ଛାର, ରେ ବାଇଆ ମନ !

ଟାଳି ହୁଅ ନିର୍ବିକାର, ରେ ବାଇଆ ମନ । (୧୧)

(ଠ)

ଠକ ନୁହଁ ତିନି ଜଣେ,

ଠିକେ ଗୁରୁ କୃଷ୍ଣ ବୈଷ୍ଣବ ଗଣେ, ରେ ବାଇଆ ମନ !

ଠାବ କର ଅନୁକ୍ଷଣେ, ରେ ବାଇଆ ମନ । (୧୨)

(ଡ)

ଡର, ଘୃଣା, ଲାଜ ଛାଡ଼ି,

ଡୋର କଉପିନ କଟୀରେ ଭିଡ଼ି, ରେ ବାଇଆ ମନ !

ଡେଉଁଥା ପ୍ରେମରେ ଗଡ଼ି, ରେ ବାଇଆ ମନ । (୧୩)

(ଢ଼)

ଢମାଳିଆ ଗୀତ ଗାଇ,

ଢଳି ଢଳି ନାଚ ତାଳି ବଜାଇ, ରେ ବାଇଆ ମନ !

ଢମ ଚାତୁରୀକି ଥୋଇ, ରେ ବାଇଆ ମନ । (୧୪)

(ଣ)

ଅଚିନ୍ତ୍ୟ ଅବ୍ୟକ୍ତ ଧନ,

ଅର୍ଜନେ ନ କର ଅଳସ ପଣ, ରେ ବାଇଆ ମନ !

ଅଯାଚକ ବୃତ୍ତି ଘେନ, ରେ ବାଇଆ ମନ । (୧୫)

(ତ)

ତରଳ ତରୁଣ ବେଶ,

ତହିଁକି ନୀଳ, ପୀତ ଝୀନବାସ, ରେ ବାଇଆ ମନ !

ତରକେ ଦେଖ ସେ ଦୃଶ୍ୟ, ରେ ବାଇଆ ମନ । (୧୬)

(ଥ)

ଥୟରେ ନିଭୃତ କୁଞ୍ଜେ,

ସ୍ଥଳୀ କାଞ୍ଚନମଣିପୁରେ ବିଜେ, ରେ ବାଇଆ ମନ !

ଥକି ଯା ତହିଁରେ ତୁ ନିଜେ, ରେ ବାଇଆ ମନ । (୧୭)

(ଦ)

ଦଳ ଅଷ୍ଟ ପଦ୍ମ ପରେ,

ଦରଶନ କର ସୂକ୍ଷ୍ମ ନେତ୍ରରେ, ରେ ବାଇଆ ମନ !

ଦକ୍ଷିଣ ବାମ ଦିଗରେ, ରେ ବାଇଆ ମନ । (୧୮)

(ଧ)

ଧରିଣ ମଞ୍ଜରୀ ନାମ,

ଧନୀ ସଖୀଙ୍କର ସଙ୍ଗିନୀ ପଣ, ରେ ବାଇଆ ମନ !

ଧୀରେ ତୁ ଶିଖ ଏ ଗୁଣ, ରେ ବାଇଆ ମନ । (୧୯)

(ନ)

ନଦ ଲାବଣ୍ୟ ମୂରତି,

ନବୀନ କିଶୋର ନୀଳେନ୍ଦ୍ର ହାତୀ, ରେ ବାଇଆ ମନ !

ନୂଆ ଦାସୀ ହୁଅ ତଥି, ରେ ବାଇଆ ମନ । (୨୦)

(ପ)

ପଞ୍ଚରୀ ଭିତରେ ସାରୀ,

ପରି ଜୀବଘଟ ଅଛି ଆବୋରି, ରେ ବାଇଆ ମନ !

(ଦିନେ) ପଳାଇ ଯିବ ବାହାରି, ରେ ବାଇଆ ମନ । (୨୧)

(ଫ)

ଫଟା ମାଠିଆରେ ପାଣି,

ଫସ ଫସ ହୋଇ ବହେ ଉଜାଣି, ରେ ବାଇଆ ମନ !

ଫଳାକୁ ଜଗିଥା ଜାଣି, ରେ ବାଇଆ ମନ । (୨୨)

(ବ)

ବସା ଭାଙ୍ଗିଗଲା ବେଳେ,

ବନ୍ଧା ନୋହିବୁ ତୁ ଯେହ୍ନେଁ ଶୃଙ୍ଖଳେ, ରେ ବାଇଆ ମନ !

ବିଚାର ସେ କଥା ହେଳେ, ରେ ବାଇଆ ମନ । (୨୩)

(ଭ)

ଭଗରି ପାଲେ ନ ପଡ଼,

ଭଙ୍ଗା ଡଙ୍ଗାଟାରେ ଜାଣି ନ ଚଢ଼, ରେ ବାଇଆ ମନ !

ଭବ-ସାଗରେ ନ ବୁଡ଼ ରେ ବାଇଆ ମନ । (୨୪)

(ମ)

ମତ୍ତ ହସ୍ତୀ ବୋଲି ତୁହି,

ମନ୍ତ୍ର ଗୁରୁଛନ୍ତି ମାହୁନ୍ତ ହୋଇ, ରେ ବାଇଆ ମନ !

ମାନିଥା ତାଙ୍କୁ ଚିତ୍ତୋଇ, ରେ ବାଇଆ ମନ । (୨୫)

(ଯ)

ଯମରାଜ ଦରବାରେ,

ଯଥାର୍ଥ ବିଚାର ହେଲା କାଳରେ, ରେ ବାଇଆ ମନ !

ଯୋଗ ଦେବ କେ ସେଠାରେ, ରେ ବାଇଆ ମନ । (୨୬)

(ର)

ରକ୍ଷା-କରତା ଶ୍ରୀଗୁରୁ,

ରହ ପଦାଶ୍ରିତେ ଜାଣି ଆଗରୁ, ରେ ବାଇଆ ମନ !

ରଟି ବାଞ୍ଛା କଳ୍ପତରୁ, ରେ ବାଇଆ ମନ । (୨୮)

(ଲ)

ଲକ୍ଷ୍ମୀ ଯା ଚରଣେ ଦାସୀ,

ଲବଙ୍ଗ ଲତା କାନନ-ବିଳାସୀ, ରେ ବାଇଆ ମନ !

ବୁଦ୍ଧି ଦିଏ ବଣା କରି, ରେ ବାଇଆ ମନ । (୨୮)

(ବ)

ବଡ଼ ଲୋକି ବାବୁଗିରି,

ବହୁତ କାଳ ନ ଥାଏ ସବୁରି, ରେ ବାଇଆ ମନ !

ବୁଦ୍ଧି ଦିଏ ବଣା କରି, ରେ ବାଇଆ ମନ । (୨୯)

(ଶ)

ଶମନ ରାଜାର ଦୂତେ,

ଶେଷ କାଳେ ନ ଛୁଇଁବେ ଯେମନ୍ତେ, ରେ ବାଇଆ ମନ !

ଶିଖ ସେ ପାଠ ନିରତେ, ରେ ବାଇଆ ମନ । (୩୦)

(ଷ)

ଷଣ୍ଢ-ଅଇରିଙ୍କ ତୁଲେ,

ଷଣ୍ଢପରି ଲଢ଼ ଜିଣିବୁ ଭଲେ, ରେ ବାଇଆ ମନ !

ଷୋଳ ନାମ ମନ୍ତ୍ର ବଳେ, ରେ ବାଇଆ ମନ । (୩୧)

(ସ)

ସଂସାର ମାୟାର ଜାଲ,

ସତ୍ୱରେ ଛିଣ୍ଡା, ନୋହି କଲ ବଲ, ରେ ବାଇଆ ମନ !

ସତ୍ତ୍ୱ ଗୁଣେ ହର କାଳ, ରେ ବାଇଆ ମନ । (୩୨)

(ହ)

ହରି ନାମ ମହାଧନ,

ହୃଦୟ-ଭଣ୍ଡାରୁ ନ କର ଶୂନ୍ୟ, ରେ ବାଇଆ ମନ !

ହେଳେ ବୋଲାଇବୁ ଧନ୍ୟ, ରେ ବାଇଆ ମନ । (୩୩)

(କ୍ଷ)

କ୍ଷମା, ଦୟା, ସତ୍ୟ, ଶାନ୍ତି,

କ୍ଷିତିରେ ଏ ଚାରି ଶୁଭ ଦିଅନ୍ତି, ରେ ବାଇଆ ମନ !

କ୍ଷୁଦ୍ର ବୈଷ୍ଣବ ଭକତି, ରେ ବାଇଆ ମନ । (୩୪)

 

* ତିନିତାପ- ଆଧ୍ୟାତ୍ମିକ, ଆଧିଭୈାତିକ, ଆଧିଦୈବିକ

Image